23/09/2018
ସ୍କୁଲ ନୁହେଁ ମନ୍ଦିର
ପ୍ରକାଶ ତ୍ରିପାଠୀ
ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ଅନୁରୋଧରେ ମୁଁ ସେଦିନ ‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହେବାର ଗୌରବ ହାସଲ କରିଛି। ଦୀର୍ଘବର୍ଷର ବ୍ୟବଧାନ ପରେ ତା’ କୋଳରେ କିଛି ସମୟ ଅତିବାହିତ କରିବାପୂର୍ବକ ତା’ର ସୁଖଦ ସ୍ମୃତିରେ ହଜିଯାଇଥିଲି। ତା’ର ପ୍ରତିଟି ଧୂଳିକଣା ଥିଲା ସ୍ମୃତି ବିଜଡ଼ିତ। ଠିକ୍ ଦଶଟାରେ ସ୍କୁଲ ସମ୍ମୁଖରେ ଯୋଡ଼ହସ୍ତରେ ଦଣ୍ଡାୟମାନପୂର୍ବକ ସମସ୍ତ ଛାତ୍ରୀଛାତ୍ର ତଥା ଶିକ୍ଷକ ସମୂହଙ୍କ ପ୍ରାର୍ଥନା ଓ ନୀତିଶିକ୍ଷା ଶ୍ରବଣ, ଶୃଙ୍ଖଳାର ସହ ଶ୍ରେଣୀଗୃହରେ ଶିକ୍ଷା ଗ୍ରହଣ, ବିସ୍ତୀର୍ଣ୍ଣ ବାଲୁକାମୟ ଖେଳପଡିଆରେ ଥକି ନ ଯିବା ପର୍ଯ୍ୟନ୍ତ ଖେଳ, ସଂସ୍କୃତ ଧାତୁରୂପ ଶବ୍ଦରୂପ ବୋଲି ନ ପାରି ସଂସ୍କୃତ ସାର୍ଙ୍କ ନିର୍ଦ୍ଦେଶରେ ବେଞ୍ଚ୍ ଉପରେ କାନଧରି ଠିଆ ହେବା, ଦୁଷ୍ଟାମି କରି ଧରାପଡିବା ଓ ପ୍ରଧାନଶିକ୍ଷକଙ୍କଠାରୁ କାନମୋଡ଼ା ଦଣ୍ଡ ପାଇବା, ଖାଇବା ଛୁଟିରେ ସାଙ୍ଗମାନଙ୍କ ଟିଫିନ ବକ୍ସରୁ ଜବରଦସ୍ତ ଜଳଖିଆ ଖାଇବା, ଗଣେଶ ପୂଜା, ସରସ୍ବତୀ ପୂଜାରେ ନୃତ୍ୟ ଗୀତ, ସ୍କୁଲର ବାର୍ଷିକ ଉତ୍ସବରେ ମଉଜମସ୍ତି ଓ ସର୍ବୋପରି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିବା ପାଇଁ ସହପାଠୀଙ୍କ ସହ ପ୍ରତିଯୋଗିତାର ସେହି ସବୁ ସୁଖଦ ସ୍ମୃତିଗୁଡିକ ସିନେମା ଭଳି ଆଖିଆଗରେ ନାଚି ଉଠିଲା, ସ୍କୁଲ ଶିକ୍ଷକମାନଙ୍କ ପ୍ରତି ଭକ୍ତି, ଭୟ, ଶ୍ରଦ୍ଧା, ସହପାଠୀଙ୍କ ପ୍ରତି ମମତା ଓ ସର୍ବୋପରି ସ୍କୁଲ ପ୍ରତି ଆତ୍ମୀୟତା ଉଜ୍ଜୀବିତ ହୋଇ ଉଠିଲା ସ୍କୁଲରେ ପାଦ ଥାପୁ ଥାପୁ।
ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ନିଶ୍ଚିତ ସଫଳ ହୋଇଛି ମୋ ଭଳି ପୁରାତନ ଛାତ୍ରୀଛାତ୍ରଙ୍କ ମନରେ ସ୍କୁଲର ସ୍ମୃତିକୁ ଉଜ୍ଜୀବିତ କରିବାରେ। ଏହା ସ୍ବୀକାର କରିବାକୁ ହେବ ଯେ ମୋ ସ୍କୁଲ ଯୋଜନା ଏକ ବଳିଷ୍ଠ ତଥା ପ୍ରଭାବଶାଳୀ ଯୋଜନା, ଯାହାକି ଆଗାମୀ ଦିନରେ ସ୍କୁଲର ସର୍ବାଙ୍ଗୀଣ ଉନ୍ନତିରେ ସହାୟକ ହେବ। ବିଦ୍ୟାଳୟର ଭିତ୍ତିଭୂମି ଦୃଢ଼ ହେବା ସହ ଶୈକ୍ଷିକ ପରିବେଶ ମଧ୍ୟ ଉନ୍ନତ ହେବ। ଯୋଜନାର ନାମ ମୋ ସ୍କୁଲ ରଖିବାର ଉଦ୍ଦେଶ୍ୟ ମହତ୍ ଅଟେ। ମୋ ଶବ୍ଦ ଉଚ୍ଚାରଣ ହୋଇଥାଏ ନିଜ ଲୋକଙ୍କ ପାଖରେ, ନିଜ ପରିବାରରେ ବା ଅଧିକାର ସାବ୍ୟସ୍ତ କରୁଥିବା ସ୍ଥାନରେ ବା ଉପକରଣରେ। ଯେପରି ମୋ ପୁଅ, ମୋ ଝିଅ, ମୋ ବାପା, ମୋ ବୋଉ, ମୋ ଘର, ମୋ ଗାଡି, ମୋ ଜମି, ମୋ ସମ୍ପତ୍ତି ଇତ୍ୟାଦି। ‘ମୋ’ରେ ଥାଏ ଆତ୍ମୀୟତା, ଭାବାବେଗ ଓ ଅଧିକାର। ଏଥିରେ ଥାଏ ଅତିଶୟ ଭଲ ପାଇବାର ଆବେଗ ଓ ଆପଣାର ଭାବ। ଆତ୍ମୀୟତା ଓ ଆନ୍ତରିକତା ନ ଥିଲେ ମୋର ବା ମୋ କହିବା ଅର୍ଥହୀନ ହୋଇଥାଏ। ଯେଉଁଠାରେ ବା ଯାହା ସହ ମୋ ବା ମୋର ଶବ୍ଦ ଯୋଡ଼ିହୋଇଯାଏ, ତା ସହ ତା’ର ସୁରକ୍ଷା, ପୋଷଣ ଓ ଯତ୍ନ ସ୍ବତଃ ଯୋଡ଼ିହୋଇଯାଏ। ସେ ଦୃଷ୍ଟିରୁ ସ୍କୁଲକୁ ମୋ ସ୍କୁଲ ଉଚ୍ଚାରଣ ନିଶ୍ଚିତ ରୂପେ ଜଣଙ୍କ ମନରେ ଭାବାବେଗ ସହ ଆପଣା ଭାବ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ।
ମୋ ସ୍କୁଲ ମୋତେ ସବୁ କିଛି ଦେଇଛି। ପ୍ରତିବଦଳରେ ମୋ ସ୍କୁଲକୁ ମୁଁ କ’ଣ ଦେଇଛି? ସମ୍ପ୍ରତି ଏଭଳି ଏକ ପ୍ରଶ୍ନ ଉଙ୍କିମାରୁଛି ପ୍ରତିଟି ପୁରାତନ ଛାତ୍ରୀଛାତ୍ରଙ୍କ ମନରେ। ମୋ ସ୍କୁଲ ଅଭିଯାନ ଆମ ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଗୋଟିଏ ପରିଚୟ, ଆଉ ତାହା ହେଉଛି ପୁରାତନ ଛାତ୍ରୀଛାତ୍ର। ଯିଏ ଯେତେ ବଡ଼ ପଦପଦବୀରେ ଥାଆନ୍ତୁ, ଯେତେ ବଡ଼ କ୍ଷମତାଧାରୀ ହୁଅନ୍ତୁ ବା ଧନାଢ଼୍ୟ ହୁଅନ୍ତୁ, ସମସ୍ତଙ୍କର ସେଇ ଗୋଟିଏ ପରିଚୟ ପୁରାତନ ଛାତ୍ରୀଛାତ୍ର। ବିଭିନ୍ନ ପେସାରେ ନିୟୋଜିତ ସମସ୍ତ ପୁରାତନ ଛାତ୍ରୀଛାତ୍ରଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିବାର ଅଭିଯାନ ହେଉଛି ମୋ ସ୍କୁଲ। ନଭେମ୍ବର ୧୪, ୨୦୧୭ରୁ ଆରମ୍ଭ ହୋଇଥିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍କୁଲର ଭିତ୍ତିଭୂମି ତଥା ଶୈକ୍ଷିକ ପରିବେଶର ଅଭିବୃଦ୍ଧି। ଦେଶ ତଥା ଜାତିର ସମୃଦ୍ଧିରେ ବିଦ୍ୟାଳୟଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ସର୍ବାଙ୍ଗୀନ ବିକାଶ ଅପରିହାର୍ଯ୍ୟ। ନାଗରିକ-ସରକାର ସହଭାଗିତାରେ ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିବା ସହ ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ନିକଟରେ ଖୁବ୍ ଗ୍ରହଣୀୟ ହୋଇପାରିଛି। ଏହି ଯୋଜନା ଅନୁଯାୟୀ ପୁରାତନ ଛାତ୍ରୀଛାତ୍ରମାନେ ସ୍ବଇଚ୍ଛାରେ ସେମାନେ ପଢୁଥିବା ସ୍କୁଲ ପାଇଁ କିଛି ଦାନ କରିବେ। ତାହା ଅର୍ଥ ଆକାରରେ ହୋଇପାରେ ଅଥବା ସ୍କୁଲ ପାଇଁ ଆବଶ୍ୟକ ପଡୁଥିବା ଯେକୌଣସି ଉପକରଣ ଆକାରରେ। ଏ ବାବଦରେ ଯେତିକି ଅର୍ଥ ସ୍କୁଲ ପାଣ୍ଠିକୁ ଆସିବ, ତାହାର ଦଇଗୁଣା ଅର୍ଥ ସରକାରଙ୍କ ପକ୍ଷରୁ ଉକ୍ତ ସ୍କୁଲକୁ ଅନୁଦାନ ଆକାରରେ ଯୋଗାଇ ଦିଆଯିବ। ମୋ ସ୍କୁଲ ଯୋଜନାରେ ପ୍ରତି ସ୍କୁଲରେ ଗଠିତ ହୋଇଥିବା କମିଟିର ପ୍ରସ୍ତାବ ଅନୁଯାୟୀ ଉକ୍ତ ପାଣ୍ଠି ବ୍ୟୟ ହେବ। ସ୍କୁଲର ଭିତ୍ତିଭୂମି ଯଥା ହଷ୍ଟେଲ, ବିଜ୍ଞାନାଗାର, ବୈଦ୍ୟୁତିକ ସରଞ୍ଜାମ, ଶୁଦ୍ଧ ପିଇବା ପାଣି ବ୍ୟବସ୍ଥା, ଟେବୁଲ, ଚେୟାର, ସ୍କୁଲ ପାଚେରି, ସଭାଗୃହ, ସାଇକେଲ ଷ୍ଟାଣ୍ଡ ଆଦିର ନିର୍ମାଣ, ମରାମତି ଓ ସଂରକ୍ଷଣ ଦିଗରେ ଉକ୍ତ ପାଣ୍ଠି ବ୍ୟୟ କରାଯାଇପାରେ। ସେହିପରି ଛାତ୍ରୀଛାତ୍ରଙ୍କ ଶାରୀରିକ ଅଭିବୃଦ୍ଧି ପାଇଁ ଖେଳପଡିଆର ଉନ୍ନତୀକରଣ, ଖେଳ ଉପକରଣ କ୍ରୟ, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ବିଦ୍ୟାର୍ଥୀଙ୍କ ବୌଦ୍ଧିକ ଦକ୍ଷତା ବୃଦ୍ଧି ପାଇଁ ଲାଇବ୍ରେରି ସ୍ଥାପନ, ସେମିନାର, ପ୍ରଦର୍ଶନୀର ଆୟୋଜନ, ଷ୍ଟଡି ଟୁର୍ର ବ୍ୟବସ୍ଥା ଓ ମଧ୍ୟାହ୍ନଭୋଜନର ପରିପୁଷ୍ଟି ଆଦି ଦିଗରେ ମଧ୍ୟ ପାଣ୍ଠି ଖର୍ଚ୍ଚ କରାଯାଇପାରେ।
‘ମୋ ସ୍କୁଲ ଅଭିଯାନ’ ପ୍ରତି ବିପୁଳ ଜନସମର୍ଥନ ମିଳୁଛି। ପୁରାତନ ଛାତ୍ରୀଛାତ୍ରମାନେ ସ୍ବେଚ୍ଛାକୃତ ଭାବେ ଏକତ୍ରିତ ହେବା ସହ ସଙ୍ଗଠନମାନ ଗଠନ କରୁଛନ୍ତି। ସେମାନଙ୍କର ଫେସ୍ବୁକ ଓ ହ୍ବାଟ୍ସଆପ୍ ଗ୍ରୁପ୍ମାନ ସୃଷ୍ଟି ହେଉଛି। ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ହେବା ସହ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ସହ ମିଶି ମୋ ସ୍କୁଲ ଅଭିଯାନକୁ ସଫଳ କରିବା ପାଇଁ ଉଦ୍ୟମ ହେଉଛି। ଖବର ପ୍ରକାଶ ପାଇଛି ଯେ, ଭୁବନେଶ୍ୱରସ୍ଥିତ ୟୁନିଟ୍-୯ ହାଇସ୍କୁଲର ୪ ଜଣ ପୁରାତନ ଛାତ୍ର ଏହି ଯୋଜନାରେ ସ୍କୁଲ୍କୁ ଦଶ ଲକ୍ଷ ଟଙ୍କା ଦାନ କରିଛନ୍ତି। କେବଳ ଭୁବନେଶ୍ୱର ସ୍କୁଲ ନୁହେଁ, ଓଡ଼ିଶାର ପ୍ରତିଟି ହାଇସ୍କୁଲକୁ ସେହି ସ୍କୁଲର ପୁରାତନ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ଆର୍ଥିକ ସହାୟତା ଜାରି ରହିଛି। ଆଗାମୀ ଦିନରେ ଅଧିକରୁ ଅଧିକ ପୁରାତନ ଛାତ୍ରୀଛାତ୍ର ଏହି ଅଭିଯାନରେ ସାମିଲ ହୋଇ ସେମାନଙ୍କ ପ୍ରିୟ ସ୍କୁଲର ସର୍ବାଙ୍ଗୀଣ ବିକାଶରେ ସହାୟକ ହେବେ। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ଅଧିକ ତତ୍ପରତା ପ୍ରକାଶ ପୂର୍ବକ ସେମାନଙ୍କ ବିଦ୍ୟାର୍ଥୀ ପଣିଆର ତଥା ସ୍କୁଲକୁ ଭଲ ପାଇବାରେ ପ୍ରମାଣ ସାବ୍ୟସ୍ତ କରିବାକୁ ଏହି ମୋ ସ୍କୁଲ ଅଭିଯାନ ସୁଯୋଗ ଦେଇଛି। ତେବେ ପୁରାତନ ବିଦ୍ୟାର୍ଥୀଙ୍କ ଦାନ ଓ ତଦନୁସାରେ ସରକାରୀ ଅନୁଦାନ ଅର୍ଥର ସଫଳ ଓ ଉପଯୁକ୍ତ ବିନିଯୋଗ ଉପରେ ଏହି ଯୋଜନାର ସଫଳତା ନିର୍ଭର କରେ। କେବଳ ଭିତ୍ତିଭୂମି ବିକାଶ ହୋଇଗଲେ ହେବନାହିଁ। ଶିକ୍ଷାଦାନର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ପାଇବା ଦରକାର, ଯାହାକି ସ୍କୁଲରେ ନିୟୋଜିତ ଶିକ୍ଷୟିତ୍ରୀଶିକ୍ଷକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ସେମାନେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ମୋ ପିଲା ଭାବି ସେମାନଙ୍କ ବୌଦ୍ଧିକ ବିକାଶ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଅନେକ ସମୟରେ ବିଦ୍ୟାଳୟଗୁଡିକରେ ବିବାଦ ଯୋଗୁ ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ନ ପାରି ସ୍କୁଲର ଭିତ୍ତିଭୂମି ବିକାଶ ବାଧାପ୍ରାପ୍ତ ହୁଏ। ‘ମୋ ସ୍କୁଲ ଅଭିଯାନ’ ଏହି ଚିରାଚରିତ ନକାରାତ୍ମକ ଦିଗରୁ ଦୂରରେ ରହି ସ୍କୁଲର ସାମଗ୍ରିକ ବିକାଶ ଦିଗରେ ସଫଳ ହେବ ବୋଲି ଆଶା କରୁ।
ମୋ-୯୪୩୭୨୩୨୪୬୩,
ଇମେଲ- [email protected]